ଆତ୍ମକଥାର କିୟଦଂଶ

 

 

 

 

 

 

 

 

 

 

 

ଆତ୍ମକଥାର କିୟଦଂଶ

କବିବର ରାଧାନାଥ ରାୟ

 

‘‘ପରସ୍ତ୍ରୀ ସହସ୍ରଭ୍ରଷ୍ଟା ହେଲେହେଁ ତାହାପ୍ରତି ସାମୟିକ ପ୍ରସକ୍ତିର ଫଳ କି ଦାରୁଣ, କି ଭୟଙ୍କର ! ବୋଧହୁଏ ଏ ସମ୍ବନ୍ଧରେ ଯେରୂପ ପୁସ୍ତକ ରଚିତ ହେବା ଉଚିତ, ତାହା ଜଗତରେ ଏପର୍ଯ୍ୟନ୍ତ ହୋଇନାହିଁ । ମୋହର ଯେରୂପ ଯନ୍ତ୍ରଣା ଭୋଗ ହେଉଅଛି, ଏରୂପ ଯନ୍ତ୍ରଣା ଜୀବନରେ ଭୋଗ ହୋଇପାରେ କଳ୍ପନାରେ ତାହା ମନେକରିନାହିଁ। ଯନ୍ତ୍ରଣା ମାନସିକ ଓ ଶାରୀରିକ । ନରକ ଯନ୍ତ୍ରଣା କିରୂପ, ତାହା ମୁଁ ଇହଲୋକରେ ଭୋଗ କରୁଅଛି । ଅନ୍ୟର ରଚନାର କଥା ନୁହେଁ, ମୋର ନିଜର ରଚନା; ଯେତେବେଳେ ମୁଁ ମନେକରେ ଯେ ମୁଁ ତୁଳସୀସ୍ତବକ, ଦରବାର ଓ ମହାଯାତ୍ରା ପ୍ରଭୃତିର ରଚୟିତା, ସେତେବେଳେ ଲଜ୍ଜାରେ ମୁଁ ମ୍ରିୟମାଣ ହୋଇଯାଏଁ । ଭଗବାନଙ୍କର ଅପର ନାମ ବିଧି, ଜଗତରେ ପ୍ରତ୍ୟେକ ଅଣୁ ପରମାଣୁ ବିଧିଦ୍ୱାରା ଚାଳିତ ଓ ନିୟନ୍ତ୍ରିତ; ସେହି ବିଧି ମୁଁ କାହିଁକି ଲଙ୍ଘନ କଲି, ଏହାର କେଉଁ ପ୍ରତିକାର କରିବି, ଏହା ଭାଳି ଅସ୍ଥିର ହୁଏଁ। ନକ୍ଷତ୍ର, ତରୁ, ଲତା, ଫୁଲ ପ୍ରଭୃତି ଦେଖିଲେ, ପକ୍ଷୀର ରବ ଶୁଣିଲେ ମୋହର ହୃଦୟରେ ଆଘାତ ଲାଗେ; ସିତାର ବଜାଉଁ ବଜାଉଁ ସଂଗୀତବିଧିର ଅଧୀନ ମୁଁ କାହିଁକି ସେ ବିଧି ଲଙ୍ଘନ କରିଅଛି, ଏହା ସ୍ମରଣ କରି ଆକୁଳ ହୋଇଥାଏଁ । ମୁହଁ ଟେକି କାହାରି ସହିତ କଥା କହିବାକୁ ମୋହର ପ୍ରବୃତ୍ତି ହୁଏ ନାହିଁ । ଉଲ୍ଲାସ କାହାକୁ କହନ୍ତି, ମୁଁ ଏହି କେତେବର୍ଷ ଜାଣେ ନାହିଁ ।

 

‘‘ମୋହର ଶରୀରରେ କିରୂପ କଷ୍ଟ ଏବଂ ଯାତନା ହୁଏ, ତାହା ଭାଷାରେ ବ୍ୟକ୍ତ ହୋଇନପାରେ । ମଧ୍ୟାହ୍ନରେ ଶାରଦତାପ ଦ୍ରବ ଭାବାପନ୍ନ ହୋଇ ସମୟସମୟରେ ଶିରା ପ୍ରଶିରାରେ ପ୍ରବାହିତ ହେଉଅଛି; ଏହିପରି ବୋଧହୁଏ । ବାମପଞ୍ଜର ଏବଂ ଜଙ୍ଘାରେ ସର୍ବଦା ଗୋଟିଏ ତୀବ୍ର କଷ୍ଟ ଅନୁଭୂତ ହୁଏ । ପ୍ରତ୍ୟହ ଅନେକ ଥର ଆତ୍ମହତ୍ୟାର କଥା ମନରେ ପଡ଼ିଥାଏ-। ପାପର ଦଣ୍ଡ ଏହିରୂପ। ବର୍ତ୍ତମାନ ମୋହର ପ୍ରତ୍ୟେକ ଅଙ୍ଗ ମୋହର ବିଦ୍ରୋହାଚରଣ କରୁଅଛି । ଉଦର, ବକ୍ଷସ୍ଥଳ, ଗୋଡ଼, ହାତ, ଚକ୍ଷୁ ସମସ୍ତେହିଁ ମୋତେ କଷ୍ଟ ଦେଉଅଛନ୍ତି । ସମସ୍ତେହିଁ ନୀରବ ଭାଷାରେ ଯେପରି କହୁଅଛନ୍ତି, ‘ତୁମ୍ଭେ ପାପୀ, ତୁମ୍ଭର ଜୀବନରେ ଅଧିକାର ନାହିଁ । ଆମ୍ଭେମାନେ ତୁମ୍ଭର କାର୍ଯ୍ୟ କରିବାକୁ ପ୍ରସ୍ତୁତ ନୋହୁଁ ।’

 

‘‘ପାପର ଏଭଳି ପ୍ରଭାବ ଯେ, ଥରେ ସେଥିରେ ପଶିଗଲେ ପାପୀ ଯେବେ ତାହା ପରିତ୍ୟାଗ କରି ପୁଣ୍ୟ ମାର୍ଗରେ ବିଚରଣ କରିବାକୁ ଇଚ୍ଛାକରେ, ଆଉ ବାଟ ପାଏ ନାହିଁ । ମୋହର ଇଚ୍ଛା, ମୁଁ ମୁକ୍ତ ଜୀବନ ପାଇ ପୁଣ୍ୟମାର୍ଗରେ ବିଚରଣ କରନ୍ତି, ସର୍ବଦା ଠିକ୍ ବାଟରେ ଥାଆନ୍ତି । ଧର୍ମ ଏବଂ ଜନସେବାରେ ଜୀବନ ଉତ୍ସର୍ଗ କରନ୍ତି । ହାୟ ! ବର୍ତ୍ତମାନ ସେ ଉପାୟରୁ ମୁଁ ବଞ୍ଚିତ ।

 

‘‘ଘଡ଼ି ବାଜିଲେ ମୋହର କଷ୍ଟ ହୁଏ; ସିତାର ବଜାଇଲେ କଷ୍ଟହୁଏ; ରାମ, ସୀତା, ସାବିତ୍ରୀ, ସତ୍ୟବାନ୍ ପ୍ରଭୃତିଙ୍କ ଭଲ ଛବି ଦେଖିଲେ ମୋହର ଯାତନା ହୁଏ । ହାୟ ! କଅଣ ଥିଲି, କଅଣ ହୋଇଛି ? ଜୀବନର ଶେଷକାଳରେ ମୋହର ଏହି ଘଟଣା ଘଟିଗଲା !

 

ନିଜର ଛବି ଦେଖିଲେ ମୋହୋ ହୃଦୟରେ କଣ୍ଟକ ବିଦ୍ଧ ହୁଏ । ମୋହୋ ଭଳି ଦୁରାତ୍ମାର ଛବି ହୋଇଥିଲା କାହିଁକି ? ମୁଁ ଅନେକ ବହି ପଢ଼ିଅଛି, Dante ପଢ଼ିଅଛି, ବାଲ୍ମିକୀ ପଢ଼ିଅଛି; କିନ୍ତୁ ପରଦାରାଭିଗମନର ଫଳସ୍ୱରୂପ ଇହଜୀବନରେ ଅସହ୍ୟ ଯନ୍ତ୍ରଣା ଭୋଗ କରିବାକୁ ହୁଏ, ଏହାର ସମୁଚିତ ବର୍ଣ୍ଣନା କୌଣସି ପୁସ୍ତକରେ ଦେଖିଲି ନାହିଁ ତ ! ମୁଁ ଯେଉଁ ଦଣ୍ଡ, ଯେଉଁ କଷ୍ଟ ଭୋଗ କରୁଅଛି, ଏ କଷ୍ଟର ତୁଳନା ଜଗତରେ ନାହିଁ । ବାହାରକୁ କୌଣସି ଦଣ୍ଡ ନ ହେଲେ ହେଁ ଭିତରରୁ ଏ ପାପର ଯେଉଁ ଦଣ୍ଡ, ସେଥିରେ ହୃଦୟ ପ୍ରତିମୁହୂର୍ତ୍ତ ଶତଧା ବିଦୀର୍ଣ୍ଣ ହେଉଥାଏ, ଶରୀର ଜଳୁଥାଏ, ପଦେ ପଦେ ଆତ୍ମହତ୍ୟାର ପ୍ରବୃତ୍ତି ହୁଏ ।

 

‘‘ହାୟ ! ଯେଉଁ ଭୀଷଣ ପାପର ସ୍ମୃତିରେ ମୁଁ ପ୍ରତିମୁହୂର୍ତ୍ତ ଅବଶ ହୋଇପଡ଼ୁଅଛି, ପ୍ରତିମୁହୂର୍ତ୍ତ ଶରୀରରେ ଭୀଷଣ ଝଟକା ପ୍ରବାହିତ ହେଉଅଛି, ଶରୀରର ସମସ୍ତ ଯନ୍ତ୍ର ବିଶୃଙ୍ଖଳ ଏବଂ ସମସ୍ତ ଶିରାପ୍ରଶିରା ଛିନ୍ନପ୍ରାୟ ହୋଇଯାଉଅଛି, ସେ ପାପରେ ମୁଁ କିରୂପେ ପ୍ରବୃତ୍ତ ହେଲି ? ହାୟ ! ବିରେଚନ ଉଦ୍ଦାମକ ଔଷଧ ରହିଅଛି, ପାପର କଅଣ ସେ ରୂପ ଉଦ୍ଦାମକ ବିରେଚକ ନାହିଁ-?

 

‘‘ଏ ରୂପ ପାପରୁ ଯେ ପାପୀ ମନରେ ସର୍ବଦା ଆତ୍ମହତ୍ୟାରର ଦୁଶ୍ଚିନ୍ତା ଉଠିଥାଏ, ତା’ ଭୁକ୍ତଭୋଗୀ ବ୍ୟତୀତ ଅପର ଜାଣିବ କିପରି ? ମୋହୋଭଳି ପାପ ସଂସାରରେ ଅନ୍ୟମାନେ କରନ୍ତି ତାହା ଦେଖୁଅଛି, ମାତ୍ର ସେମାନଙ୍କର ମନର ଗଠନ କିପରି ଏହା ଜାଣେ ନାହିଁ ।

 

‘‘କଳୁଷିତ ବିବେକଭଳି ତୀବ୍ର ଯନ୍ତ୍ରଣାପ୍ରଦ ବିଷୟ ବୋଧହୁଏ ଜଗତରେ ଆଉ କିଛିହିଁ ନାହିଁ। ହୃଦୟ ସର୍ବଦା ଜଳୁଥାଏ ଏବଂ କ୍ରମଶଃ ଶରୀର ମଧ୍ୟରେ ଯନ୍ତ୍ରଣାରେ ଅଭିଭୂତ ହୋଇ ଯେପରି ତୁଷାନଳରେ ଦହ୍ୟମାନ ହେଉଥାଏ । ବର୍ତ୍ତମାନ ମୋହୋର ଶାରୀରିକ ଯନ୍ତ୍ରଣା ଅତି ତୀବ୍ର-

 

‘‘ହାୟ ! ବର୍ତ୍ତମାନ ସୁଦ୍ଧା ଲୋକେ ମୋତେ ଊଷିତୁଲ୍ୟ ବ୍ୟକ୍ତି କହିଥାଆନ୍ତି । ମୁଁ ଯେଉଁଠାକୁ ଯାଇଅଛି, ଅଧିକାଂଶ ସ୍ଥଳରେ ଲୋକେ ମୋତେ ଏହିରୂପ କହନ୍ତି ଓ କହିଅଛନ୍ତି । ବାସ୍ତବିକ ଜୀବନର ଅଧିକାଂଶ ସମୟରେ ମୋହୋର ଆଚରଣ ସେହିପରି ଥିଲା । ହୁଗୁଳିରେ ଶେଷ ତିନି ବର୍ଷରେ ମଧ୍ୟେ ମଧ୍ୟେ ମୋହୋର ଚରିତ୍ର କଳୁଷିତ ହୋଇଗଲା । ହାୟ, ଜୀବନର ଅନ୍ତିମ ସମୟରେ ଏରୂପ ଦୁର୍ଗତି କେତେ ଜଣଙ୍କର ହୋଇଥାଏ ।

 

‘‘ମୋହର ଦୃଷ୍ଟାନ୍ତ କୁଦୃଷ୍ଟାନ୍ତ ହେଲେହେଁ ଅତ୍ୟନ୍ତ ଶିକ୍ଷାପ୍ରଦ । ଧର୍ମପ୍ରବଣମନା ହୋଇ କୁସଂର୍ଗରେ ଲୋକର କିରୂପ ପଦସ୍ଖଳନ ଘଟିଥାଏ, ମୋହୋର ଉଦାହରଣରୁ ତାହା ପରିସ୍ଫୁଟ ହୋଇପାରେ ।

 

‘‘ପ୍ରଥମରୁ ପାପ ସାହିତ୍ୟର ପରିଚ୍ଛେଦରେ ମୋତେ ପ୍ରଲୋଭିତ କଲା । ସେତେବେଳେ ତାହାର ମୂର୍ତ୍ତି ଦେଖି ସୁଦ୍ଧା ଭଲରୂପେ ଦେଖିନାହିଁ । ବର୍ତ୍ତମାନ ତାହାର ବିକଟ ମୂର୍ତ୍ତି ପ୍ରତିକ୍ଷଣରେ ଚାରିଆଡ଼େ ଦେଖୁଅଛି । ଯାହା ଦେଖେଁ, ଶୁଣେଁ ଏବଂ ପଢ଼େଁ, ସମସ୍ତହିଁ ଯେପରି ସେହି ପାପର ମୂର୍ତ୍ତିକୁ ଚକ୍ଷୁର ପୂରୋବର୍ତ୍ତୀ କରିଦିଏ । ପାପର କି ଭୟାବହ ଦଣ୍ଡ! ବାହାରେ କିଛି ନାହିଁ, ଅଥଚ ହୃଦୟ ଓ ଶରୀର ମଧ୍ୟରେ ସର୍ବକ୍ଷଣ ଭୟଙ୍କର ଝଟିକା, ଭୟଙ୍କର ଭୂକମ୍ପ ଅନୁଭୂତ ହେଉଅଛି ।

 

‘‘ଅନ୍ତରେ ପାପଭାର ଘେନି ଜୀବନ ଚଳାଇବା କି ବିଡ଼ମ୍ବନା ! ମୋହୋ ହୃଦୟରେ ଗୋଟିଏ ଆଗ୍ନେୟଗିରି ଜ୍ୱଳୁଅଛି । ବାହାରର ସମସ୍ତଙ୍କ ପ୍ରାୟ ଚଳୁଅଛି; କିନ୍ତୁ ଭିତରରେ ପୂଟପାକ ।

 

‘‘ଉତ୍କଳର ଶତ ଶତ ସ୍ଥାନ ମୋହୋର ମନରେ ପଡ଼ିଥାଏ, ଦୁଃଖରେ ହୃଦୟ ବିଦୀର୍ଣ୍ଣ ହୁଏ, ସେହି ସମସ୍ତ ସ୍ଥାନରେ ମୁଁ ମୁକ୍ତ ଜୀବନରେ ଭ୍ରମଣ କରି ପ୍ରକୃତିର ଶୋଭା ଉପଭୋଗ କରି କିପରି ଆନନ୍ଦ ଲାଭ କରିଥିଲି ! ବର୍ତ୍ତମାନ ପୂର୍ବଭଳି ମୋହୋର ରଚନାଶକ୍ତି ନାହିଁ । ପାପପ୍ରାଣ ସର୍ବଦା ଜ୍ୱଳୁଅଛି । ଫଳତଃ ବର୍ତ୍ତମାନ ମୋହୋର ଲେଶମାତ୍ର ମନୁଷ୍ୟତା ନାହିଁ । ବିଧାତାଙ୍କର ଶାଶ୍ୱତ ବିଧାନ ମୁଁ ଲଙ୍ଘନ କରିଅଛି ।

 

‘‘ଚିତ୍ତଶୁଦ୍ଧି ଭଳି ଅମୂଲ୍ୟ ଦ୍ରବ୍ୟ ଜଗତରେ ଆଉ କିଛି ନାହିଁ । ସହସ୍ର ଅଭାବ, ସହସ୍ର କଷ୍ଟରେ ଚିତ୍ତଶୁଦ୍ଧିଜନିତ ପ୍ରଫୁଲ୍ଲତାରେ ମନୁଷ୍ୟ ସୁଖୀ ହୋଇପାରେ । ବାହାରର ପରିଷ୍କାର ପରିଚ୍ଛନ୍ନତା ପ୍ରତି ମୋହର ସର୍ବଦା ତୀକ୍ଷ୍‌ଣ ଦୃଷ୍ଟି ଥିଲା । ଚିତ୍ତଶୁଦ୍ଧିର ମୂଲ୍ୟ ଯେ ମୁଁ ଜାଣିନଥିଲି, ଏହା କିପରି କହିବି ? ଜାଣି ସୁଦ୍ଧା ଏପରି ସ୍ଖଳିତପଦ ହେଲି ।

 

‘‘ଭଗବାନ୍ ସର୍ବଦର୍ଶୀ ଏବଂ ଅନ୍ତର୍ଯାମୀ । ହୃଦୟରେ ପାପକୁ ସ୍ଥାନ ଦେବାର ନୁହେଁ । ହୃଦୟରେ ସେ ବିବେକ-ପ୍ରହରୀ ରଖିଅଛନ୍ତି । ମୁଁ ପ୍ରଥମେ ସେହି ବିବେକ-ପ୍ରହରୀର ବାଣୀ ଶୁଣି ସତର୍କ ହେବାକୁ ଚେଷ୍ଟା କରିଥିଲି; କିନ୍ତୁ ପରେ ଭ୍ରଷ୍ଟ ହେଲି । ପାପ କବିତାର ପରିଚ୍ଛଦରେ ଆସି ମୋତେ ମୁଗ୍‌ଧ କଲା ଏବଂ ଶେଷରେ ମୋହୋର ଚରିତ୍ର ଭ୍ରଷ୍ଟ ଘଟିଲା ।

 

‘‘ବର୍ତ୍ତମାନ ସୁଦ୍ଧା ଅନେକେ ଖବରକାଗଜରେ ମୋହୋର ପ୍ରଶଂସା କରିଥାଆନ୍ତି; ମୋହୋର ରଚନାର ସୁଖ୍ୟାତି କରନ୍ତି । ଧିକ୍ ମୋତେ, ଧିକ୍ ମୋହୋର ରଚନାକୁ । ପ୍ରଶଂସା ଦେି ମୋହେ ହୃଦୟରେ ଶତଶେଳ ବିଦ୍ଧ ହୁଏ । ‘କହତ କବୀରୋ ଯାତ ବହି, ଯବସେ ବନେ ତବ ସେ ସହି ।’ କବୀରଙ୍କର ଧର୍ମାଚରଣ ସମ୍ବନ୍ଧରେ ଏହି ମହାକାବ୍ୟ ସମ୍ପୂର୍ଣ୍ଣ ଠିକ୍ । କିନ୍ତୁ ପାପ ଏରୂପ ଭୟଙ୍କର ଯେ ପାପୀ ପାପ ପରିତ୍ୟାଗ କରି ଧର୍ମାଚରଣ କରିବାକୁ ପ୍ରବୃତ୍ତ ହେଲେ ପାପ ସେହି ଧର୍ମାଚରଣରେ ବାଧା ଦେଇଥାଏ । ଇଚ୍ଛାନୁସାରେ ଧର୍ମାଚରଣ କରିବାକୁ ଦିଏ ନାହିଁ । ହାୟ ! ଯେବେ ମୁଁ ପୁଣି ସୁସ୍ଥ ହୋଇପାରନ୍ତି ଏବଂ ମୋହୋର ଅଭିଜ୍ଞତା ରୀତିମତ ଲିପିବଦ୍ଧ କରିପାରନ୍ତି, ତାହା ଖଣ୍ଡିଏ ବୃହତ୍ ଶିକ୍ଷାପ୍ରଦ ଗ୍ରନ୍ଥ ହୁଅନ୍ତା । ବୈଷ୍ଣବ କବିତାରେ ଏରୂପ ଅନେକ କବିତା ରହିଅଛି, ଯାହା ଦୁର୍ବଳମନା ଲୋକଙ୍କୁ ବିପଥରେ ନେଇଯାଇପାରେ । ଏରୂପ କବିତାର ଉଦାହରଣ ମୁଁ ଅନେକ ଦେଇପାରନ୍ତି; ରୀତିମତ ଲେଖିବାର ଶକ୍ତି ମୋହୋର ନାହିଁ। ଫଳତଃ ମୁଁ ଭବଭୂତିଙ୍କର ଚେଲା, ଜୟଦେବଙ୍କର ଚେଲା ନୁହେଁ ।

 

‘‘ମନେକରିଥିଲି, ପେନ୍‌ସନ୍‌ ଘେନି ଅବସରମତେ ମାତୃଭାଷାର (ଓଡ଼ିଆ ଭାଷାର) ସେବା କରିବି । ଧର୍ମ ଏବଂ ନୀତି ସମ୍ବନ୍ଧରେ ସଂସ୍କୃତରେ କବିତା ଲେଖିବି । ମୋହୋର ଆଶା କେବଳ ଆଶାରେ ହିଁ ପରିଣତ ହେଲା ।

 

‘‘ହାୟ, ମୋହୋର ପ୍ରାଣର ପ୍ରିୟତମ ଉତ୍କଳ ଭାଷା, ମନେକରିଥିଲି, ପେନ୍‌ସନ୍ ନେଇ ତୁମ୍ଭର ସେବା ଧର୍ମର ସେବାରେ ମନଃପ୍ରାଣ ଢାଳିଦେବି । କୁହୁକରେ ପଡ଼ି ମୁଁ ଏ ସୁଖରୁ ବଞ୍ଚିତ ହେଲି ।

 

‘‘କୌଣସି ଲୋକକୁ ଫାଶି ଦିଆହୋଇଅଛି । ଫାଶିରଜ୍ଜୁ ଗଳାରେ ଭଲକରି ନବସିବାରୁ ତାହାର ଯେପରି ଯନ୍ତ୍ରଣା ହୁଏ, ଅଥଚ ମୃତ୍ୟୁ ହୁଏନାହିଁ, ମୋହୋର ଦଶା ବର୍ତ୍ତମାନ ସେହିରୂପ; ମୋହୋର ବର୍ତ୍ତମାନ ଏହିପରି ଦଣ୍ଡ ।

 

‘‘ମୋହୋର ମନେହୁଏ, ପ୍ରତ୍ୟେକ ଲୋକର ଘରେ ମୃତ୍ୟୁ ଶଯ୍ୟାର ଗୋଟିଏ ଭଲ ଚିତ୍ର ରହିବା ଉଚିତ । ପ୍ରତ୍ୟହ ମୃତ୍ୟୁର ସ୍ମରଣ ହେଲେ ଲୋକେ ସହଜରେ ପାପୀ ହୋଇପାରନ୍ତି ନାହିଁ। ହାୟ, କି ଦାରୁଣ ଭବିତବ୍ୟ ମୋହୋ ଅଦୃଷ୍ଟରେ ଥିଲା । ‘ଦଶରଥ ବିୟୋଗ’ ଭଳି ନୀତିପୂର୍ଣ୍ଣ କବିତା ଲେଖିବାରେ ୫-୬ ମାସ ଉତ୍ତାରୁ ମୁଁ ଏପରି ପ୍ରଲୋଭନରେ ପଡ଼ିଗଲି । ୪-୫ ବର୍ଷ ପୂର୍ବେ ପୁତ୍ରର ବିବାହୋପଲକ୍ଷରେ ଅନେକ ସମ୍ଭ୍ରାନ୍ତ ଲୋକଙ୍କର ପରାମର୍ଶ, ଉପଦେଶ ଏବଂ ପରିଶେଷରେ ଅନୁନୟ ହେତୁ ଯେଉଁ ଲୋକ ନର୍ତ୍ତକୀର ନୃତ୍ୟରେ ସମ୍ପୂର୍ଣ୍ଣ ଅସମ୍ମତ ହେଲା, ତାହା ଭାଗ୍ୟରେ ପୁଣି ଏହା ଘଟିଗଲା !

 

‘‘ମୋହୋର ବସାର ଭୃତ୍ୟମାନେ ମୋତେ, ମୋହୋର ସ୍ତ୍ରୀଙ୍କୁ ଏବଂ ସନ୍ତାନମାନଙ୍କୁ ଆଜ୍ଞା, ଆଜ୍ଞା କହିଥାଆନ୍ତି । ହାୟ, ମୋହୋର କୁକର୍ମ ଫଳରେ ଆମ୍ଭମାନଙ୍କର ଯେଉଁ ଦଶା, ଆମ୍ଭମାନଙ୍କର ଭୃତ୍ୟର ସୁଦ୍ଧା ଆମ୍ଭେମାନେ ଭୃତ୍ୟ ହେବାର ଅଯୋଗ୍ୟ ।

 

‘‘ମୋହୋର ଏ କି ଭୟଙ୍କର ଅବସ୍ଥା ! ବର୍ତ୍ତମାନ ସୁଦ୍ଧା ବଞ୍ଚିରହିବାକୁ ଇଚ୍ଛା । ଅଥଚ ଜୀବନ ଏଭଳି ଯନ୍ତ୍ରଣାମୟ, ମାନସିକ ଓ ଶାରୀରିକ ଯନ୍ତ୍ରଣାମୟ ଯେ, ମୃତ୍ୟୁହିଁ ମୋହୋ ପକ୍ଷରେ ଶ୍ରେୟସ୍କର । ବଞ୍ଚିବା କଷ୍ଟ, ମରିବା ମଧ୍ୟ କଷ୍ଟ, କି ଭୟଙ୍କର ଅବସ୍ଥା ! ଏ ଅବସ୍ଥାରୁ ଅସାଧ୍ୟସାଧକ ଭଗବାନ୍ ବ୍ୟତୀତ ମୋତେ ଆଉ କିଏ ରକ୍ଷା କରିବ ?

 

‘‘ସଂସାର ନିକଟରେ ମୋହୋର ବିନୀତ ନିବେଦନ, କୃତାଞ୍ଜଳିପୁଟରେ ନିବେଦନ, ମୁଁ ନିଜର ସ୍ଖଳନ ସକାଶେ ଆପଣାକୁ ଯେପରି ତିରସ୍କାର, ଯେରୂପ ଧିକ୍‌କାର ଦେଉଅଛି, ସଂସାର ଏହା ଅପେକ୍ଷା ଅଧିକ ଦେଇପାରିବ ନାହିଁ । ସଂସାର ନିକଟରେ ମୋହୋର କରପୁଟରେ ନିବେଦନ, ମୋହୋର ଦୁଷ୍କର୍ମ ସକାଶେ ମୋହୋର ଲେଖାକୁ ଯେପରି କେହି ଦୋଷ ନ ଦିଅନ୍ତି । ମୁଁ ଯାହା ଲେଖିଥିଲି, ସରଳ ମନରେ ଲେଖିଥିଲି । ପ୍ରକୃତ ପକ୍ଷେ ବର୍ତ୍ତମାନ ସେହି ସୁନୀତିର ସହସ୍ରଗୁଣ ଭକ୍ତ, ସହସ୍ରଗୁଣ ପକ୍ଷପାତୀ ମୁଁ ମହାପାପୀ ହେଲେ ହେଁ ‘ଧର୍ମ ଏକା ସିନା ମହତ ପଣିଆ’ ଏହାହିଁ ମୋହୋର ମନର କଥା । କିପରି ମତିଭ୍ରମ ହେଲା, ପଦସ୍ଖଳନ ହେଲା, ଦାରୁଣ ପ୍ରଲୋଭନରେ ଓ କୁଚକ୍ରରେ ପଡ଼ିଗଲି । ବାସ୍ତବିକ ମୋହର ହୃଦୟ ଧର୍ମପ୍ରବଣ, ଭଗବାନ୍‌ ମୋହୋର ହୃଦୟ ଦେଖୁଅଛନ୍ତି । ଅନେକ ସମୟରେ ମୁଁ ଭାଳେଁ, ଏ ସଂସାର ସହିତ ମୋହର ସମ୍ବନ୍ଧ କ’ଣ ? ଏ ସଂସାରରେ ଲୋକର ଯେପରି ଇନ୍ଦ୍ରିୟାଦି ଅଛି, ମୁଁ ଯେଉଁ ଲୋକକୁ ଯିବି ସେଠାରେ କିରୂପ ? ଏଠାରେ ଯେପରି ବର୍ଣ୍ଣ, ରସ, ଶବ୍ଦାଦି ଅନୁଭବ କରୁଅଛି, ସେଠାରେ କି ସେହି ରୂପ ? ବର୍ତ୍ତମାନ ମୁଁ କି ଭୟଙ୍କର ଅବସ୍ଥାରେ ଅବସ୍ଥିତ ! ମୋହୋର ଏହି ପାଞ୍ଚ ଭୌତିକ ଦେହ ସହିତ, ମୋହୋର ଆତ୍ମୀୟଗଣଙ୍କ ସହିତ ମୋହୋର ଆଉ କି ସମ୍ଭନ୍ଧ ରହିଅଛି ? ମୁଁ ଅତିଶୀଘ୍ର ସମସ୍ତଙ୍କୁ ଛାଡ଼ି ଚାଲିଯିବି ।

 

‘‘ଶାସ୍ତ୍ରରେ କଥିତ ଅଛି, ମୃଣାଳ ସୂତ୍ରର ରନ୍ଧ୍ରରେ ମତ୍ତମାତଙ୍ଗର ଗତି ଯେରୂପ, ମୃତ୍ୟୁ ସେହିରୂପ ଭୟଙ୍କର । ମୁଁ ଦେଖୁଅଛି, ନିଜର ଯନ୍ତ୍ରଣାରୁ ବୁଝୁଅଛି, ମୋହୋର ସେହି ମୃତ୍ୟୁ ଆରମ୍ଭ ହୋଇଅଛି । ମୃତ୍ୟୁଞ୍ଜୟ କି ମୋତେ ରକ୍ଷା କରିବେ ?

 

‘‘ସଂସାରକୁ ମୋହୋର କରପୁଟରେ ନିବେଦନ, ପାପୀ ବୋଲି ମୋହୋପ୍ରତି ଦାରୁଣ ହେବେ ନାହିଁ । ମୋହୋର କ୍ଷୁଦ୍ର ଜୀବନରେ ମୁଁ କ୍ଷମାଶୀଳ ଥିଲି । ସହସ୍ର ଦୋଷ, ଏଭଳି ଦୋଷ ଯାହା ଲୋକେ ସହଜରେ କେବେହେଁ କ୍ଷମା କରନ୍ତି ନାହିଁ, ମୁଁ କ୍ଷମା କରିବାକୁ କେବେହେଁ ପରାଙ୍‌ମୁଖ ହୋଇନାହିଁ । ପ୍ରଲୋଭନ ଏବଂ ପରୀକ୍ଷା ବୁଝି ବିଚାର କରିବା ଉଚିତ । Abbot ପ୍ରଣୀତ Napoleonଙ୍କର ଜୀବନରେ ଲିଖିତ ଅଛି - ‘‘Much of which passes for virtue to this world is only absence of temptation” । ମୋହର ଏ ବିନୀତ ସନ୍ତପ୍ତ ନିବେଦନ ପ୍ରତି ସଂସାରର ଲେଶ ମାତ୍ର ଆସ୍ଥା ହେବ କି ? ଏ ସଂସାରର ଉଦ୍ୟାନରେ ପାପଫଳରୁ ମୁଁ ବାଳୁଙ୍ଗାରେ ପରିଣତ ହୋଇଅଛି । ବାଳୁଙ୍ଗାକୁ ସମସ୍ତେ ପୋଡ଼ି ପକାଇଥାଆନ୍ତି । ସଂସାରରେ ମୋହୋର ରହିବାର ଆଉ କେଉଁ ଅଧିକାର ଅଛି ? ମୋହୋର ଦାରୁଣ ଯନ୍ତ୍ରଣାହିଁ କହୁଅଛି ଯେ, ମୋହୋର ଜୀବନରେ ଆଉ କୌଣସି ଅଧିକାର ନାହିଁ ।

 

‘‘ପ୍ରତି ମୁହୂର୍ତ୍ତରେ କେତେ ଚିନ୍ତା ମୋହୋର ମନରେ ଉଠୁଅଛି, ତାହାର ଇୟତ୍ତା ନାହିଁ । ଏଗୁଡ଼ିକ ସଜାଇ ଲେଖିବାର ଶକ୍ତି ନାହିଁ। ଆତ୍ମଗ୍ଳାନି ଏବଂ ଆତଙ୍କରେ ମନର ଏବଂ ଶରୀରର ଯନ୍ତ୍ରଣା ହୋଇ ମନୁଷ୍ୟର ଶନୈଃ ଶନୈଃ କିପରି ପରିବର୍ତ୍ତନ ହେଉଥାଏ, ଏ ସମ୍ଭନ୍ଧରେ ଭୁକ୍ତଭୋଗୀ ହିଁ ଲେଖିପାରେ । ଏରୂପ ଗ୍ରନ୍ଥ ମୁଁ ଆଜି ପର୍ଯ୍ୟନ୍ତ ପଢ଼ି ନାହିଁ । ହାୟ, ଅନ୍ତତଃ ମୁଁ ଏପରି ଖଣ୍ଡିଏ ଗ୍ରନ୍ଥ ସଂସାରର ହିତ ସକାଶେ ଲେଖିଥାଆନ୍ତି!

 

‘‘ପାପ କି ଭୟଙ୍କର ପଦାର୍ଥ, ଅନେକ ଲୋକ କେବଳ କଳ୍ପନାରେ ଏହାକୁ ଜାଣନ୍ତି, ମୁଁ ପ୍ରତ୍ୟକ୍ଷ ଅନୁଭବରେ ଜାଣିଲି। ପାପ କି ତୀବ୍ର ହଳାହଳ, ମୁଁ ଭୁକ୍ତଭୋଗୀ ହୋଇ ବୁଝୁଅଛି । ପାପ ମନର ସ୍ୱାସ୍ଥ୍ୟ ଓ ଶାନ୍ତି ଏବଂ ଶରୀରର ସ୍ୱାସ୍ଥ୍ୟ ଛାରଖାର କରିପକାଏ । ମୋହୋର ଭୟଙ୍କର ବାୟୁରୋଗ, ବମନେଚ୍ଛା ପାପଫଳରୁ ଏବଂ ପାପଜନିତ ତୀବ୍ର ଦୁଶ୍ଚିନ୍ତା ଫଳରୁ ସଂଘଟିତ ହୋଇଅଛି-। ହାୟ, ମୁଁ ସତ୍ୟ କହିବାକୁ ପ୍ରୟାସୀ, ସତ୍ୟ କହିବାକୁ ସମସ୍ତଙ୍କୁ ଉପଦେଶ ଦେଇଥାଏଁ-। ମୋହୋର ଏପରି ଦୁର୍ଦ୍ଦଶା ଯେ, ଲୋକେ ମୋତେ ମିଥ୍ୟା କହିବାକୁ ଉପଦେଶ ଦିଅନ୍ତି ।

 

‘‘ମଧୁ (ଶଶୀ) ମୋତେ ସର୍ବଦା ପ୍ରକୃତିର ଶୋଭା ଦେଖିବାକୁ କହେ ଏବଂ ତଦ୍ଦ୍ୱାରା ମୋହୋର ବିନୋଦନ ହେବ ବୋଲି ଭାବେ, କିନ୍ତୁ ପ୍ରକୃତିର ଶୋଭାନୁଭାବକତା ଏତେବେଳେ ମୋହୋର କାହିଁ ? ପ୍ରକୃତିର ଶୋଭା ମୋହୋର ଆଜିକାଲି ସ୍ମୃତିର ବିଷୟ ହୋଇଅଛି । ସେ ମୁକ୍ତ ଜୀବନ କି ଆଉ ମୁଁ ପାଇବି ?

 

‘‘ପରିଚ୍ଛଦ ପ୍ରତି ମୋହୋର ଅନାସ୍ଥା ଦେଖି ମୋହୋର ପରିବାରବର୍ଗ ଓ ବନ୍ଧୁବର୍ଗ ଦୁଃଖିତ ହୁଅନ୍ତି । ହାୟ, ମୋହୋର ଆତ୍ମାର ପରିଚ୍ଛଦ ମୋହୋର କର୍ମ ଦୋଷରେ ଏରୂପ ଛିନ୍ନଭିନ୍ନ ହୋଇଯାଉଅଛି ଯେ, ଆତ୍ମା ତାହାକୁ ଅପରିଧେୟ ଭାବେ। ବାହାରର ପରିଚ୍ଛଦ ସକାଶେ ମୋହୋର ଆସ୍ଥା କିପରି ହେବ ?

 

‘‘ହାୟ, ମହାଯାତ୍ରାର ପଞ୍ଚମ ସର୍ଗରେ ମୟୂରଭଞ୍ଜର ମହାରାଜାଙ୍କୁ ସମ୍ବୋଧନ କରି ମୁଁ କେତେ ଉପଦେଶ ଦେଇଅଛି । ସଂସାର ତାହାପ୍ରତି ଉପହାସ କରି ମୋତେ କହିବ ନାହିଁ କି ‘Physician, heal thyself’ । ମୁଁ ଇହକାଳରେ ହିଁ ନରକାଗ୍ନିର ତାପରେ ଜଳୁଅଛି । କି ଭୟଙ୍କର କଷ୍ଟ! ଅଥଚ କଷ୍ଟ ପ୍ରକୃତ ଭାବରେ କହିବାର ଅଧିକାର ନାହିଁ। ପାପୀର କି କଷ୍ଟ ହୁଏ ପାପୀ ହିଁ ଜାଣେ । ହାୟ, ହାୟ, ମୁଁ କଅଣ କରିଅଛି ? ରଘୁବଂଶର–

 

‘‘କାତ୍ୱଂ ଶୁଭେ କସ୍ୟ ପରିଗ୍ରହୋବୋ

କିମ୍ବା ମଦ୍‌ଭ୍ୟାଗମ କାରଣଂ ତେ।

ଆଚକ୍ଷ୍ୱ ମତ୍ୱା ବଶିନାଂ ରଘୂଣାଂ

ମନଃ ପରସ୍ତ୍ରୀବିମୁଖ ପ୍ରବୃତ୍ତଃ’’

 

ଏହି ଶ୍ଲୋକ ଯାହାର ଅତି ପ୍ରିୟ ଶ୍ଲୋକ ଥିଲା ଏବଂ ଜୀବନରେ ଯେ ଏହି ଶ୍ଳୋକାନୁସାରେ ଚଳି ଆସୁଥିଲା, ତାହାର ଇଦୃଶ ସ୍ଖଳନ ।’’

 

(ପରିଶେଷରେ ୧୯୦୭ ସାଲର ଜୁଲାଇ ମାସରେ ରାଧାନାଥ ଅତିମାତ୍ର ବ୍ୟସ୍ତ ହୋଇ ଶଶିଭୂଷଣଙ୍କୁ କହିଲେ, ‘‘ପ୍ରାୟଶ୍ଚିତ୍ତ ସ୍ୱରୂପ ଏ ସମସ୍ତ କଥା ସଂସାରକୁ ନ ଜଣାଇଲେ ମୋହର କଷ୍ଟ ଲାଘବ ହେବ ନାହିଁ।’’ ଏକଥା ପୁଣି ତାହାଙ୍କର ଅତିପ୍ରିୟ ବନ୍ଧୁ ଭକ୍ତକବି ମଧୁସୂଦନ ଓ ବାବୁ ବିଶ୍ୱନାଥ କରଙ୍କୁ ଶୁଣାଇବାକୁ ହେଲା । ‘ଉତ୍କଳ ଦୀପିକା’ର ସମ୍ପାଦକ କର୍ମବୀର ଗୌରୀଶଙ୍କର ଏହା ଶୁଣି କହିଲେ, ‘‘ଏପରି ସଂସାରରେ କିଏ କରିଥାଏ ଯେ ଆପଣ ଏହା କରିବେ ? ଏଥିରୁ ନିବୃତ୍ତ ହୁଅନ୍ତୁ ।’’

 

ରାଧାନାଥ କହିଲେ–‘‘ପାପଂ କୃତ୍ୱା ପ୍ରକାଶୟତେ’ ଯେଉଁ ନୀତି ବାକ୍ୟ ଅଛି, ସେଥିରୁ ବିଦ୍ୟୁତ ହେବି କାହିଁକି ?

 

ବାଲେଶ୍ୱରରୁ ମହାରାଜା ବୈକୁଣ୍ଠନାଥ ସେତେବେଳେ କାର୍ଯ୍ୟୋପଲକ୍ଷରେ କଟକ ଆଗମନ କରି ୩-୪ ଦିନ ଅବସ୍ଥାନ କରୁଥିଲେ । ସେ ଶୁଣି କହିଲେ । ସେ ଶୁଣି କହିଲେ, ‘‘ଏଭଳି ସହସ୍ର ସହସ୍ର ଘଟଣା ସଂସାରରେ ଅନବରତ ଲାଗିଅଛି; ଏହାକୁ ଅଧିକାଂଶ ଲୋକେ ପାପ ବୋଲି ମନେ କରନ୍ତି ନାହିଁ, ଏବଂ ଋଷିବାକ୍ୟ ‘ପାପଂ କୃତ୍ୱା ପ୍ରକାଶୟେତ୍’ ଏହାର ମୂଲ୍ୟ ଏ ଯୁଗରେ ଆଦୌ ନାହିଁ ।’’ ତଥାପି ରାଧାନାଥ କହିଲେ, ‘‘ମୋହୋର ବିବେକ ଯେତେବେଳେ ତାଡ଼ନା କରୁଅଛି, ସେତେବେଳେ ମୁଁ ଏହା ପ୍ରକାଶ କରିବାକୁ ବାଧ୍ୟ ।’’ ଏହି ହେତୁରୁ ସେ ଦୁଇଦିନ ବସି ‘ଆତ୍ମ ନିବେଦନ’ ଲେଖି ଶଶିଭୂଷଣଙ୍କୁ ଗୌରୀଶଙ୍କର ବାବୁଙ୍କ ନିକଟକୁ ଏହା ମୁଦ୍ରଣ ସକାଶେ ପ୍ରେରଣ କଲେ । ଗୌରୀଶଙ୍କର ନିତାନ୍ତ ବାଧ୍ୟହୋଇ ଏହା ଓଡ଼ିଆରେ ଓ ବଙ୍ଗଳାରେ ଏକ ସହସ୍ର ଲେଖାଏଁ ଛପାଇଦେଲେ । ଛପା ହୋଇ ଆସିବାରୁ ବଙ୍ଗଳାଗୁଡ଼ିକ ବଙ୍ଗର ସମସ୍ତ ପ୍ରସିଦ୍ଧ ସମ୍ବାଦପତ୍ରର ସମ୍ପାଦକମାନଙ୍କ ନିକଟକୁ, ସମସ୍ତ ପରିଚିତ ବନ୍ଧୁମାନଙ୍କ ନିକଟକୁ ଏବଂ ସେହିପରି ଓଡ଼ିଆ ଭାଷାରେ ମୁଦ୍ରିତ ‘ଆତ୍ମ ନିବେଦନ’ ଗୁଡ଼ିକ ଉତ୍କଳର ସମସ୍ତ ସମ୍ବାଦପତ୍ରର ସମ୍ପାଦକ ଓ ପରିଚିତ ବନ୍ଧୁମାନଙ୍କ ସମୀପକୁ ଡାକରେ ପ୍ରେରିତ ହେଲା । ଏହି ‘ଆତ୍ମ ନିବେଦନ’ ଯାହା ମୁଦ୍ରିତ ଓ ପ୍ରଚାରିତ ହୋଇଥିଲା, ତାହା କେତେକ ସମ୍ବାଦପତ୍ରରେ ମଧ୍ୟ ଅବିକଳ ବାହାରିଥିଲା । ଏଥିରୁ କେତେଖଣ୍ଡ ନିମ୍ନରେ ପ୍ରଦତ୍ତ ହେଲା । ଏହି ‘ଆତ୍ମ ନିବେଦନ’ ପ୍ରକାଶ ଉତ୍ତାରୁ ରାଧାନାଥ ବଙ୍ଗୋତ୍କଳର ଲେଫ୍‌ଟେଣ୍ଟର ଗଭର୍ଣ୍ଣର ମହୋଦୟଙ୍କ ଛାମୁକୁ ଗୋଟିଏ ପ୍ରାର୍ଥନାପତ୍ର ଲେଖି ପ୍ରେରଣ କରିଥିଲେ । ‘ଆତ୍ମ ନିବେଦନ’ ପତ୍ରଲିପି ଏଠାରେ ପ୍ରଦର୍ଶିତ ହେଲା । ଏହି ଆତ୍ମବିବୃତି ଯାହାଙ୍କର ହସ୍ତଗତ ହେବ, ତାହାଙ୍କୁ ସବିନୟ ପ୍ରାର୍ଥନା, ସେ ଅନୁଗ୍ରହପୂର୍ବକ ତାହାଙ୍କ ପରିଚିତ ବ୍ୟକ୍ତିଗଣଙ୍କୁ ଏହା ଦେଖାଇବେ ।

Image